ବାସୁଦେବପୁର ଜନ କଲ୍ୟାଣ ପରିଷଦ, ରାଉରକେଲାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ
ବାସୁଦେବପୁର ଜନ କଲ୍ୟାଣ ପରିଷଦ, ରାଉରକେଲାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ
ରାଉରକେଲା,1|3(ଭାଗ୍ୟ ପ୍ରଣେତା )-ରାଉରକେଲା ସେକ୍ଟର-7 ସ୍ଥିତ ମଧୁ ମଣ୍ଡପ ଠାରେ ରବିବାର ବାସୁଦେବପୁର ଜନ କଲ୍ୟାଣ ପରିଷଦର ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି| ଏ ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବା ବେଲେ, କାର୍ଯ୍ୟକାରୀ ସଭାପତି ପ୍ରଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ| ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ମୁଖ୍ୟଵକ୍ତା ଭାବରେ ବରିଷ୍ଠ ଐତିହାସିକ ତଥା ଗବେଷକ ଡକ୍ଟର ଅଜୟ କୁମାର ପଣ୍ଡା ଯୋଗଦେଇ ଅବିଭକ୍ତ ବାଲେଶ୍ୱର, ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ଐତିହ୍ୟ କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଭାରତବର୍ଷର ଇତିହାସ ଏବଂ ସଂସ୍କୃତିରେ ଏକ ସ୍ୱତନ୍ତ୍ର ତଥା ଗୌରବମୟ ସ୍ଥାନ ଅଧିକାର କରିଛି। ବାସୁଦେବପୁରର ନାମ ନେଲେ ପ୍ରଥମେ ମନକୁ ଆସେ 'ରକ୍ତତୀର୍ଥ ଇରମ୍'ର କଥା। ଯାହାକୁ ଭାରତର "ଦ୍ୱିତୀୟ ଜାଲିଆନାୱାଲାବାଗ" କୁହାଯାଏ। ସାହିତ୍ୟିକ ଓ ସାଂସ୍କୃତିକ ଅବଦାନ:
ବାସୁଦେବପୁର ଅଞ୍ଚଳ ଓଡ଼ିଆ ସାହିତ୍ୟକୁ ଅନେକ ମୂଲ୍ୟବାନ ରତ୍ନ ପ୍ରଦାନ କରିଛି, ଯେଉଁଥିରେ ସ୍ୱାଧୀନତା ସମୟର ଜାତୀୟତାବାଦୀ ଚେତନା ଭରି ରହିଛି।ଜାତୀୟ କବି ବାଞ୍ଛାନିଧି ମହାନ୍ତି: ବାସୁଦେବପୁର ଅନ୍ତର୍ଗତ ଇରମ୍ରେ ଜନ୍ମିତ ବାଞ୍ଛାନିଧି ମହାନ୍ତିଙ୍କ ଜାତୀୟତାବାଦୀ କବିତା ଏବଂ ସଙ୍ଗୀତ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ନିଆଁକୁ ପ୍ରଜ୍ଜ୍ୱଳିତ କରିଥିଲା। ତାଙ୍କର ଦେଶାତ୍ମବୋଧକ ଗୀତଗୁଡ଼ିକ ଆଜି ମଧ୍ୟ ଓଡ଼ିଆ ଜାତିର ପ୍ରାଣରେ ଶିହରଣ ସୃଷ୍ଟି କରେ ବୋଲି ଉଲ୍ଲେଖ କରିବା ସହିତ ବାସୁଦେବପୁରର ଏହି ମହାନ ଐତିହ୍ୟ, ପରୋପକାର ଏବଂ ସାମାଜିକ କଲ୍ୟାଣର ଭାବନା ଏତେ ସୁଦୃଢ଼ ଯେ, ଏହାର ମାଟିର ସନ୍ତାନମାନେ ନିଜ ଜନ୍ମଭୂମିରୁ ଦୂରରେ ଥିଲେ ମଧ୍ୟ ସାଂସ୍କୃତିକ ଓ ଜନକଲ୍ୟାଣକାରୀ ସଙ୍ଗଠନ ମାଧ୍ୟମରେ ନିଜର ପରମ୍ପରାକୁ ଉଜ୍ଜୀବିତ ରଖିଥାନ୍ତି। ସେମାନେ ଯେଉଁଠି ବି ରହନ୍ତି, ବାସୁଦେବପୁରର ସାଂସ୍କୃତିକ ମୂଲ୍ୟବୋଧ ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିବାରେ ଆଗଭର ରହିଥାନ୍ତି।ଜନ୍ମ ମାଟିର ଏହି ବିଶାଳ ଐତିହ୍ୟକୁ ପାଥେୟ କରି ସୁଦୂର ରାଉରକେଲା ପରି ଏକ ଶିଳ୍ପ ସମୃଦ୍ଧ ସହରରେ ୧୯୯୯ ମସିହାରେ ଜନ୍ମ ନେଇ ୨୦୦୧ ମସିହିରେ ସୋସାଇଟି ଆକ୍ଟ ଦ୍ବାରା ପଂଜିକୃତ ହୋଇଥିବା "ବାସୁଦେବପୁର ଜନ କଲ୍ୟାଣ ପରିଷଦ" ଆଜି ଏହାର ରଜତ ଜୟନ୍ତୀ ପାଳନ କରି ପରିଛି।ଯେଉଁ ମହାନ୍ ଆତ୍ମା ମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ସ୍ବରୂପ ଏହି ଅନୁଷ୍ଠାନଟି ଜନ୍ମ ନେଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଈହ ଧାମ ତ୍ୟାଗ କରି ସାରିଥିଲେ ମଧ୍ୟ ସେମାନଙ୍କ ସ୍ମୃତି ଆମ ଭିତରେ ଅଲିଭା ହୋଇ ରହିଛି। ଆଜିର ଏହି ଶୁଭ ଅବସରରେ ସେହି ମହାନୁଭବ ମାନଙ୍କୁ ପ୍ରଥମେ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରୁଛୁ |ସେମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସମ୍ପାଦକ ବାଇଧର ନାୟକ ତଥା ତାଙ୍କ ସହଧର୍ମିଣୀ ସାବିତ୍ରୀ ନାୟକ, ପ୍ରତିଷ୍ଠାତା ସଭାପତି ଯଦୁନାଥ ଦାସ, ଉପସଭାପତି ଡମ୍ବରୁଧର ପ୍ରଧାନ, ଉପଦେଷ୍ଟା ବିପିନ ବିହାରୀ ପଣ୍ଡା, ରମେଶ ଚନ୍ଦ୍ର ବେହେରା, ବାଙ୍କ ବିହାରୀ ମହାନ୍ତି, ଅଲେଖ ଚନ୍ଦ୍ର ପଲେଇ, ଖଗେନ୍ଦ୍ର ପ୍ରସାଦ ରାୟ, ଅର୍ଜୁନ ଚରଣ ପରିଡ଼ା, ବାଇଧର ଦାଶ ଜୟଦେବ ଦାଶ ଏବଂ ଆହୁରି ଅନେକ।ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ, ଇରମ ସହିଦ ସ୍ମୃତି ଦିବସ ଏବଂ ବାର୍ଷିକ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରିଥାଏ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥାଏ |ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଅଭାବୀ ସଦସ୍ୟ ସଦସ୍ୟା ମାନଙ୍କ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତି ମାନେ ଅନୁଷ୍ଠାନ ମାଧ୍ୟମରେ ସହାୟତାର ହାତ ବଢ଼ାଇ ଥାଆନ୍ତି।ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ :"ଫାଉଣ୍ଡେସନ ଫର ଏକ୍ସେଲେନ୍ସ", ବାଙ୍ଗାଲୋର, "ନର୍ଥ୍ ସାଉଥ୍ ଫାଉଣ୍ଡେସନ", ହାଇଦ୍ରାବାଦ ଏବଂ "ବିକାଶ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ", ଭୁବନେଶ୍ୱର ପ୍ରଭୃତି ଆନ୍ତର୍ଜାତିକ ସ୍ବେଛାସେବୀ ସଂସ୍ଥା ତଥା କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ବର୍ତ୍ତମାନ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଏମ୍ ବି ବି ଏସ, ବି.ଟେକ୍, ନର୍ସିଂ ଡିଗ୍ରୀ, ଡିପ୍ଲୋମା ଇଞ୍ଜିନିୟରିଂ ପ୍ରଭୃତି ପଢ଼ୁଥିବା ପିଲାମାନଙ୍କୁ ବାର୍ଷିକ ହାରାହାରି ୭୫ଲକ୍ଷରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।ପରିଷଦର ଏକ ନିଜସ୍ୱ ପାଠାଗାର ରହିଛି ଯେଉଁଠି ନିଜସ୍ଵ ପୁସ୍ତକ ସହ ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ତରଫରୁ ପ୍ରାପ୍ତ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ମୂଲ୍ୟବାନ ପୁସ୍ତକ ରହିଛି।ପରିଷଦର ମୁଖପତ୍ର - ବେଳାଭୂମିର ପ୍ରଥମ ସଂସ୍କରଣ ୨୦୦୨ ମସିହାରେ ତତ୍କାଳୀନ ସାଧାରଣ ସମ୍ପାଦକ ସ୍ବର୍ଗତ ବାଇଧର ନାୟକଙ୍କ ଅଦମ୍ୟ ପ୍ରଚେଷ୍ଟା ତଥା ପ୍ରାଧ୍ୟାପକ ଡ. ପ୍ରଭାକର ରାଉତଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରକାଶ ପାଇଥିଲା ଏବଂ କ୍ରମାଗତ ଭାବେ ପରବର୍ତ୍ତୀ ତିନୋଟି ସଂସ୍କରଣ ମଧ୍ୟ ଡ. ରାଉତଙ୍କ ସଫଳ ସମ୍ପାଦନାରେ ପ୍ରକାଶିତ ହୋଇଥିଲା। ୨୦୦୬ ଏବଂ ୨୦୦୭ ମସିହାରେ ପ୍ରକାଶିତ ପଞ୍ଚମ ଏବଂ ଷଷ୍ଠ ସଂସ୍କରଣର ସମ୍ପାଦନା ଦାୟିତ୍ବ ନେଇଥିଲେ ଶିକ୍ଷୟିତ୍ରୀ କବୀ ଶ୍ରୀମତୀ ସବିତା ରାଣୀ ବେହେରା।ପରବର୍ତ୍ତୀ ସପ୍ତମ, ଅଷ୍ଟମ ଏବଂ ନବମ ସଂସ୍କରଣ ଡାକ୍ତର ଗୌରାଙ୍ଗ ଚନ୍ଦ୍ର ମଣ୍ଡଳଙ୍କ ସମ୍ପାଦନାରେ ସୁଚାରୁରୂପେ ପ୍ରକାଶିତ ହୋଇଥିଲା।୨୦୧୧ରେ ପ୍ରକାଶିତ ଦଶମ ସଂସ୍କରଣରୁ ଅଦ୍ୟାବଧି ଶିକ୍ଷକ କବି ଶ୍ରୀଯୁକ୍ତ ବଳରାମ ରାଉଳ ଏହାର ସମ୍ପାଦନା ଦାୟିତ୍ବ ଦକ୍ଷତାର ସହ ତୁଲାଇ ଆସୁଥିବା ବେଳେ ଶ୍ରୀଯୁକ୍ତ ଶରତ କୁମାର ଦାସ ଏବଂ ଅନ୍ୟମାନେ ତାଙ୍କୁ ସକ୍ରିୟ ସହଯୋଗ କରିଆସୁଛନ୍ତି।ପ୍ରତିଷ୍ଠାତା ସଭାପତି ଯଦୁନାଥ ଦାସଙ୍କ ପରେ ଦୁଇ ବର୍ଷ ପାଇଁ ଡାକ୍ତର ଗୌରାଙ୍ଗ ଚରଣ ମଣ୍ଡଳ ସଭାପତି ପଦ ଅଳଙ୍କୃତ କରିଥିଲେ। ତାଙ୍କ ପରେ ୨୦୦୭ ମସିହାରୁ ଡାକ୍ତର ରବିନାରାୟଣ ମହାପାତ୍ର ଏକନିଷ୍ଠ ଭାବରେ ସଭାପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି।ସେହିପରି ଅସୁସ୍ଥତା କାରଣରୁ ବାଇଧର ନାୟକ ୨୦୦୭ ମସିହାରେ ଦାୟିତ୍ବରୁ ଅବ୍ୟାହତି ନେବା ପରେ, ସଂଗ୍ରାମ କେଶରୀ ଦାସ ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ସାଧାରଣ ସମ୍ପାଦକ ଭାବେ ସୁଚାରୁରୂପେ କାର୍ଯ୍ୟଭାର ତୁଲାଇଥିଲେ। ବିଗତ ୧୭ ବର୍ଷର ଏହି ଦୀର୍ଘ ସାଂଗଠନିକ ଯାତ୍ରାପଥରେ କାର୍ଯ୍ୟକାରୀ ସମିତିର ସମସ୍ତ ପଦାଧିକାରୀ ତଥା ସଦସ୍ୟମାନଙ୍କ ଅକୁଣ୍ଠ ସହଯୋଗ ଅନୁଷ୍ଠାନକୁ ନିରନ୍ତର ଆଗେଇ ନେବାରେ ସହାୟକ ହୋଇଛି।ଦୀର୍ଘ ପଚିଶ ବର୍ଷରୁ ଊର୍ଦ୍ଧ୍ବ ଏହି ସୁଦୀର୍ଘ ଯାତ୍ରାପଥରେ ଆମେ ବହୁ ମହାନୁଭବଙ୍କୁ ଚିରଦିନ ପାଇଁ ହରାଇଛୁ। ଅନେକ ସଦସ୍ୟ ସରକାରୀ ସେବାରୁ ଅବସର ଗ୍ରହଣ କରିବା ପରେ ରାଉରକେଲା ତ୍ୟାଗ କରି ନିଜ ପଲ୍ଲୀ କିମ୍ବା ଅନ୍ୟତ୍ର ବସବାସ କଲେଣି।ତଥାପି ଏଥିରେ ହତାଶ ହେବାର କିଛି ନାହିଁ। ବର୍ତ୍ତମାନ ଆମର ଅଶୀତିପର ବୟସରେ ଉପନୀତ ସୁଦକ୍ଷ ସଭାପତି ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ନୂତନ ଉନ୍ମାଦନା ଓ ଉତ୍ସାହର ସହ କାର୍ଯ୍ୟ କରିଚାଲିଛନ୍ତି। ମୋର ଦୃଢ଼ ବିଶ୍ୱାସ, ଆଗାମୀ ଯୁବପିଢ଼ି ଏହି ସାରସ୍ୱତ ତଥା ସାମାଜିକ ଅନୁଷ୍ଠାନର ମଶାଲକୁ ନିଜ ହାତକୁ ନେବେ ଏବଂ ଏହାକୁ ଆହୁରି କର୍ମଚଞ୍ଚଳ କରି ପ୍ରଗତିର ପଥରେ ଆଗେଇ ନେବେ ବୋଲି କହିଥିଲେ | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ପରିଶେଷରେ ଉଜ୍ବଳ ପ୍ରଦୀପ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ |


Comments
Post a Comment