ତେଲିଙ୍ଗିବାଜା' ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଶ୍ରୁତଲିଖନ ପ୍ରତିଯୋଗିତା
ତେଲିଙ୍ଗିବାଜା' ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଶ୍ରୁତଲିଖନ ପ୍ରତିଯୋଗିତା
ରାଉରକେଲା, ୧୲୩(ଭାଗ୍ୟ ପ୍ରଣେତା) ବେଦବ୍ୟାସରୁ ନିୟମିତ ପ୍ରକାଶ ପାଇ ଆସୁଥିବା ତ୍ରୟ ମାସିକ ଶିଶୁପତ୍ରିକା ତେଲିଙ୍ଗିବାଜା ଆନୁକୂଲ୍ୟରେ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଶବ୍ଦଲିଖନ ,ଶୁଦ୍ଧ ପଠନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ସେବାବିରତ ଶିକ୍ଷକ ଓ କବି ଡଃ. ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶ୍ରମର ସମ୍ପାଦକ ଅଶୋକ କୁମାର ଅଗ୍ରୱାଲ ପ୍ରଦୀପ ପ୍ରଜ୍ଜ୍ଵଳନ କରି କହିଲେ ଯେ, ଶିଶୁମାନଙ୍କ ପାଇଁ ଏଭଳି ପ୍ରତିଯୋଗିତା ଯୋଗୁଁ ଓଡ଼ିଆ ଭାଷା ସାହିତ୍ୟର ଗୌରବ ବୃଦ୍ଧି ପାଇବ l ଅବସରପ୍ରାପ୍ତ ଶିକ୍ଷକ ଓ ବୈଦିକ ବିଦ୍ଵାନ ଶରତ କୁମାର ଦେହୁରୀ ପିଲାମାନଙ୍କୁ ନୀତି ଉପଦେଶ ମାଧ୍ୟମରେ କ୍ଷୁଦ୍ର ଗପ କହିଥିଲେ l ବରିଷ୍ଠ ଶିଶୁ ସାହିତ୍ୟିକ ସତ୍ୟବ୍ରତ ଦାସ ପ୍ରାଥମିକ ସ୍ତରରୁ ପିଲାମାନଙ୍କ ମନରେ ଭାଷାପ୍ରୀତି ଜାଗ୍ରତ କରାଇଲେ ଆଗାମୀ ପିଢିକୁ ଦିଗ୍ ଦର୍ଶନ ମିଳିବ ବୋଲି କହିଥିଲେ l ପ୍ରଧାନଶିକ୍ଷୟିତ୍ରୀ ଆରତି ଦାଶ କହିଲେ ଯେ, ଭାଷା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ l ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷିତ କରାଇଲେ ଆମ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ସ୍ୱାଭିମାନ ସମୃଦ୍ଧ ହେବ l ଅନ୍ୟ ମାନଙ୍କ ମଧ୍ୟରେ ବବିତା ସାହୁ, ସଞ୍ଜୁଲତା ମହାପାତ୍ର, ପୁଷ୍ପାଞ୍ଜଳି ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ l ଏହି ପ୍ରତିଯୋଗୀତାରେ ଲାଠିକଟା ବ୍ଲକ୍ ର ବେଦବ୍ୟାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲୁଙ୍ଗେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାହାଡ଼ିଟୋଲା, ନଦୀଟୋଲା ସିଂହଟୋଲା, ବୁରୁଟୋଲା,କଲୁଙ୍ଗା, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ, ଓମ୍ ବେଦବ୍ୟାସ ପବ୍ଲିକ୍ ସ୍କୁଲ୍ ଆଦିର ୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l କୃତୀ ପ୍ରତିଯୋଗୀଙ୍କୁ ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ତ୍ରୟୋବିଂଶ ତେଲିଙ୍ଗିବାଜା ସମ୍ମାନ ସମାରୋହରେ ପୁରସ୍କୃତ କରାଯିବ I


Comments
Post a Comment