ହାତ ଦେଖା ପାଇଁ ୨୨ ହଜାର ଟଙ୍କା ଦାବି, ଜ୍ୟୋତିଷଙ୍କୁ ପିଟିପିଟି ହତ୍ୟା

ଲହୁଣିପଡ଼ା,26|7(ଭାଗ୍ୟ ପ୍ରଣେତା)-ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଟାମ୍ପରକେଲା ଗାଁରେ ହାତ ଦେଖି ପାଉଣା ଟଙ୍କାକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଛତିଶଗଡ଼ର ଜ୍ୟୋତିଷ ଖୁସିରାମ ଯୋଶୀ (୨୨)ଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବାବେଳେ, ଘଟଣା ପରେ ଅଭିଯୁକ୍ତ ଲଳିତ ମୁଣ୍ଡାରୀ (୪୫) ଫେରାର ହୋଇଯାଇଛନ୍ତି। ପୁଲିସ୍ ତାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।
ପୁଲିସ୍ ସୂଚନା ଅନୁସାରେ, ଛତିଶଗଡ଼ର ବାସିନ୍ଦା ଖୁସିରାମ ଏକ ବୃଷଭ ସହ ଗାଁ ଗାଁ ବୁଲି ଲୋକଙ୍କ ହାତ ଦେଖି ଭବିଷ୍ୟତ ସମ୍ପର୍କରେ କହୁଥିଲେ। ଶନିବାର ଅପରାହ୍ଣରେ ସେ ଟାମ୍ପରକେଲା ଗାଁକୁ ଯାଇ ଲଳିତ ମୁଣ୍ଡାରୀଙ୍କ ହାତ ଦେଖିଥିଲେ। ଏହାପରେ ସେ ପାଉଣା ବାବଦରେ ୨୨ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।
ଦିନମଜୁରିଆ ଲଳିତ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ବିବାଦ ଉଗ୍ର ରୂପ ନେବାରୁ ଲଳିତ ଏକ ଠେଙ୍ଗାରେ ଖୁସିରାମଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତରେ ଘଟଣାସ୍ଥଳରେ ହିଁ ଖୁସିରାମଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।
ଖବର ପାଇ ଗୁରୁଣ୍ଡିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବାବେଳେ, ସେମାନଙ୍କ ଆସିବା ପରେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବ। ଏପଟେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମୃତକଙ୍କ ସହ ଥିବା ବୃଷଭକୁ ଗ୍ରାମବାସୀ ସୁରକ୍ଷିତ ଭାବେ ହେପାଜତରେ ରଖିଥିବା ଜଣାପଡ଼ିଛି।
Comments
Post a Comment