ଗ୍ରୁପ୍ ଲୋନ୍ର ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକେଇ, ଛେଣ୍ଡ ଥାନାରେ ଶତାଧିକ ମହିଳାଙ୍କ ଅଭିଯୋଗ
ରାଉରକେଲା,26|7(ଭାଗ୍ୟ ପ୍ରଣେତା)-ଗ୍ରୁପ୍ ଲୋନ୍ କରାଇ ଦେବାର ପ୍ରଲୋଭନ ଦେଇ ଶତାଧିକ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରାଉରକେଲାରେ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତ ମହିଳାମାନେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, କଳିଙ୍ଗ ବିହାରର ଏସ୍–୩ଏମ୍/୨ ନମ୍ବର ପ୍ଲଟ୍ରେ ‘ସାଉଥ୍ ଇଣ୍ଡିୟାନ୍ ବ୍ୟାଙ୍କ’ ନାମରେ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା। ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ବସ୍ତିକୁ ଯାଇ ମହିଳାମାନଙ୍କୁ ଏକାଠି କରି ଗ୍ରୁପ୍ ଲୋନ୍ ସମ୍ପର୍କରେ ବୈଠକ କରୁଥିଲେ। ସିଭିଲ୍ ରିପୋର୍ଟରେ ସମସ୍ୟା ଥିଲେ ଟଙ୍କା ନେଇ ତାହା ଠିକ୍ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ।
ଲୋନ୍ ପାଇବା ଆଶାରେ ସେକ୍ଟର–୧୩, ସେକ୍ଟର–୧୪, ବେଲଡିହି, କଲୁଙ୍ଗା, ଛେଣ୍ଡ କଲୋନୀ ସମେତ ବିଭିନ୍ନ ଅଞ୍ଚଳର ଶତାଧିକ ମହିଳା ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସିଭିଲ୍ ରିପୋର୍ଟ ସଠିକ୍ କରିବା ନାଁରେ ପ୍ରତ୍ୟେକଙ୍କଠାରୁ ୨,୬୨୦ ଟଙ୍କା ଏବଂ ୬୫ ହଜାର ଟଙ୍କାର ଲୋନ୍ କରାଇଦେବା ପାଇଁ ୫,୦୨୦ ଟଙ୍କା ଆଦାୟ କରାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ଗତ ୨୪ ତାରିଖରେ କଳିଙ୍ଗ ବିହାର କାର୍ଯ୍ୟାଳୟରେ ଏକ ବୈଠକ କରି ସମସ୍ତ କାଗଜପତ୍ର ସଂଗ୍ରହ କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଲୋନ୍ ରାଶି ଖାତାକୁ ଜମା ହେବ ବୋଲି କର୍ମଚାରୀମାନେ ଆଶ୍ୱାସନ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ପରେ ଟଙ୍କା ନ ଆସିବାରୁ ଶୁକ୍ରବାର ସକାଳେ ମହିଳାମାନେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବା ସହ କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଥିବାରୁ ସେମାନେ ଠକେଇର ଶିକାର ହୋଇଥିବା ସନ୍ଦେହ କରିଥିଲେ।
ପରେ ଶତାଧିକ ମହିଳା ଛେଣ୍ଡ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୁଲିସ ପ୍ରାଥମିକ ତଦନ୍ତରୁ ପ୍ରାୟ ୭ ଲକ୍ଷ ୬୧ ହଜାର ଟଙ୍କା ଠକେଇ ହୋଇଥିବା ଜାଣିପାରିଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି।

Comments
Post a Comment