ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବହେଳା : ଏନ୍ଏଚ୍-୪୯ରେ ରାସ୍ତାକଡ଼ ପାର୍କିଂ ଯୋଗୁଁ କମୁନି ସଡ଼କ ଦୁର୍ଘଟଣା
ଝାରସୁଗୁଡ଼ା,25|7(ଭାଗ୍ୟ ପ୍ରଣେତା) -ଝାରସୁଗୁଡ଼ା ଜିଲ୍ଲାର ଜାତୀୟ ରାଜପଥ–୪୯ରେ ରାସ୍ତାକଡ଼ରେ ଯାନବାହନର ବେଆଇନ ପାର୍କିଂ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ ତାହାର ସଠିକ୍ ପାଳନ ହେଉନାହିଁ। ଫଳରେ ରାସ୍ତାକଡ଼ରେ ଭାରୀ ଯାନବାହନ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ଲଗାତାର ଘଟୁଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି।
ସଦ୍ୟ ଘଟଣାରେ ଜିଲ୍ଲାର ନୂଆବନ୍ଧ ନିକଟରେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ ଯାନ ସହ ବାଇକ୍ ଧକ୍କା ହେବାରୁ ବଞ୍ଜିପଡ଼ା ଗ୍ରାମର କୃଷ୍ଣ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜପଥ ଓ ପ୍ରମୁଖ ସଡ଼କଗୁଡ଼ିକରେ ରାସ୍ତାକଡ଼ ପାର୍କିଂ ହଟାଇବା ଏବଂ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପୂର୍ବରୁ ଏକାଧିକ ଥର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଅନେକ ସ୍ଥାନରେ ରାସ୍ତାକଡ଼ରେ ଭାରୀ ଯାନବାହନ ପାର୍କିଂ ଜାରି ରହିଛି, ଯାହା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି।
ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ଓ ପୁଲିସକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ସହ ରାସ୍ତାକଡ଼ରେ ବେଆଇନ ପାର୍କିଂ ବିରୋଧରେ ନିୟମିତ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଦାବି କରିଛନ୍ତି। ଏହାଦ୍ୱାରା ଏଭଳି ଦୁର୍ଘଟଣା ଉପରେ ପ୍ରଭାବଶାଳୀ ଅଙ୍କୁଶ ଲଗାଯାଇପାରିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Comments
Post a Comment