କର୍ଲାପାଟ ଅଭୟାରଣ୍ୟରୁ ୪.୩୨ ବର୍ଗ କିମି ଅଞ୍ଚଳ ହ୍ରାସ; ବକ୍ସାଇଟ୍ ଖଣି ନିଲାମକୁ ମାର୍ଗ ପ୍ରଶସ୍ତ, ଜୈବବିବିଧତା ନେଇ ବଢ଼ିଲା ଚିନ୍ତା
ଭବାନୀପାଟଣା,26|7(ଭାଗ୍ୟ ପ୍ରଣେତା)-କଳାହାଣ୍ଡି ଜିଲ୍ଲାର ପରିବେଶ ସମ୍ବେଦନଶୀଳ କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ସଂଲଗ୍ନ ବକ୍ସାଇଟ୍ ଖଣି ବ୍ଲକର ନିଲାମ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଅଭୟାରଣ୍ୟର ପ୍ରାୟ ୪.୩୨ ବର୍ଗ କିଲୋମିଟର ଅଞ୍ଚଳକୁ ହ୍ରାସ କରାଯାଇଥିବାରୁ ଖଣି ନିଲାମରେ ଥିବା ଆଇନଗତ ଓ ପରିବେଶଗତ ବାଧା ଦୂର ହୋଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ପରିବେଶବିତ୍ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
କର୍ଲାପାଟ ବକ୍ସାଇଟ୍ ବ୍ଲକ ପରିବେଶ ଦୃଷ୍ଟିରୁ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଅଞ୍ଚଳ ହାତୀଙ୍କ ଚଲାପଥ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ପୂର୍ବରୁ ଖଣି ନିଲାମ ପ୍ରକ୍ରିୟା ବିଭିନ୍ନ ଆଇନଗତ ଓ ପରିବେଶ ସମ୍ବନ୍ଧୀୟ ବାଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଅଭୟାରଣ୍ୟର ସୀମା ହ୍ରାସ ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବାର ରାସ୍ତା ସୁଗମ ହୋଇଛି।
ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୩,୧୦୦ ହେକ୍ଟର ଅଞ୍ଚଳରେ ୨୨୦ ନିୟୁତ ଟନ୍ରୁ ଅଧିକ ବକ୍ସାଇଟ୍ ଖଣିଜ ଗଚ୍ଛିତ ରହିଛି। ଏହି ବିଶାଳ ଖଣିଜ ସମ୍ପଦକୁ ହାତେଇବା ପାଇଁ ଅନେକ ବଡ଼ ଖଣି କମ୍ପାନି ନିଲାମ ପ୍ରକ୍ରିୟାରେ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି।
ଅନ୍ୟପଟେ, ପରିବେଶବିତ୍ମାନଙ୍କ ମତରେ କର୍ଲାପାଟ ଅଭୟାରଣ୍ୟ ଓଡ଼ିଶାର ଅନ୍ୟତମ ଜୈବବିବିଧତା ସମୃଦ୍ଧ ଅଞ୍ଚଳ। ପ୍ରାୟ ୧୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ଚିରସ୍ରୋତା ଶଗଡ଼ା ନଦୀ, ଅନେକ ବର୍ଷାଦିନିଆ ନାଳ, ଘଞ୍ଚ ବନାଞ୍ଚଳ ସହ ଫୁର୍ଲିଝରଣା, ଘୁଷୁରିଗୁଡ଼ି ଓ ଖଣ୍ଡୁଆଳଧାର ପରି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ରହିଛି। ଏଠାରେ ବାଘ, ହାତୀ, ସାମ୍ବର, ଗୌର, ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଔଷଧୀୟ ଉଦ୍ଭିଦ ମଧ୍ୟ ବିପୁଳ ପରିମାଣରେ ମିଳେ।
ପରିବେଶବିତ୍ମାନଙ୍କ ଅଭିଯୋଗ, ଅଭୟାରଣ୍ୟର ସୀମା ହ୍ରାସ ଏବଂ ଭବିଷ୍ୟତରେ ଖଣି କାର୍ଯ୍ୟ ଆରମ୍ଭ ହେଲେ ପ୍ରାକୃତିକ ବନାଞ୍ଚଳ, ବନ୍ୟଜନ୍ତୁଙ୍କ ଚଲାପଥ ଓ ଜୈବବିବିଧତା ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଏହା ସହିତ ସ୍ଥାନୀୟ ଜଳସମ୍ପଦ ଓ ପରିବେଶ ସନ୍ତୁଳନ ମଧ୍ୟ ବିପଦରେ ପଡ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ପରିବେଶ ସୁରକ୍ଷା ସହ ଉନ୍ନୟନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସରକାର ସମ୍ବେଦନଶୀଳ ଭାବେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ପରିବେଶବିତ୍ମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ, ଖଣି ପ୍ରକଳ୍ପ ମାଧ୍ୟମରେ ଶିଳ୍ପ ଓ ଅର୍ଥନୈତିକ ବିକାଶର ସମ୍ଭାବନା ଥିବାବେଳେ ଜୈବବିବିଧତାର ସୁରକ୍ଷା କିପରି ସୁନିଶ୍ଚିତ ହେବ, ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

Comments
Post a Comment