ସୁନାବେଶରେ ଝଲସିଲେ ଶ୍ରୀଜିଉ; ପୁରୀରେ ଭକ୍ତଙ୍କ ଅପାର ସମାଗମ, ଜାତୀୟ ରାଜପଥରେ ଭୟଙ୍କର ଟ୍ରାଫିକ୍ ଜାମ୍
ପୁରୀ,25|7(ଭାଗ୍ୟ ପ୍ରଣେତା)-ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହେବା ପରେ ଶନିବାର ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁନାର ମୁକୁଟ, ହାର, ହାତ, ପାଦ ଓ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ସୁନାବେଶର ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥିଲେ।
ଭକ୍ତଙ୍କ ଅଭୂତପୂର୍ବ ଭିଡ଼ ଯୋଗୁଁ ସକାଳଠାରୁ ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥ–୩୧୬ରେ ତୀବ୍ର ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା। ବିଶେଷକରି ବାଟଗାଁ ଅଞ୍ଚଳରେ ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିଥିଲା ଏବଂ ଅନେକ ଶ୍ରଦ୍ଧାଳୁଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।
ସନ୍ଧ୍ୟା ଦର୍ଶନ ପାଇଁ ଆହୁରି ଅଧିକ ସଂଖ୍ୟାରେ ଭକ୍ତଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସୁନାବେଶ ଅବସରରେ ସମଗ୍ର ପୁରୀ ସହର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।

Comments
Post a Comment