ଝାରସୁଗୁଡ଼ା ରେଳ ଷ୍ଟେସନରେ ଶିଶୁ ସୁରକ୍ଷା ନେଇ ସମନ୍ୱୟ ବୈଠକ : ବିଭିନ୍ନ ବିଭାଗ ମଧ୍ୟରେ ତାଳମେଳ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା,24|7(ଭାଗ୍ୟ ପ୍ରଣେତା)-ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟୁ) ଅନୁଯାୟୀ ବ୍ୟସ୍ତ ରେଳ ଷ୍ଟେସନଗୁଡ଼ିକରେ ଚାଇଲ୍ଡ ହେଲ୍ପ ଡେସ୍କ (୧୦୯୮)ର ପ୍ରଭାବଶାଳୀ ପରିଚାଳନା ଏବଂ ଚାଇଲ୍ଡ ହେଲ୍ପ ଗ୍ରୁପ୍ର ସମନ୍ୱୟକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ୬ ନଭେମ୍ବର ୨୦୨୪ ଠାରୁ ଚାଇଲ୍ଡ ହେଲ୍ପ ଡେସ୍କ (୧୦୯୮) ୨୪ ଘଣ୍ଟିଆ ସେବା ପ୍ରଦାନ କରୁଛି। ଏଠାରେ ଛଅଜଣ କର୍ମଚାରୀ ନିୟୋଜିତ ରହି ଷ୍ଟେସନ ପରିସରରେ ସଙ୍କଟାପନ୍ନ, ଅବହେଳିତ, ନିଖୋଜ ଏବଂ ମାନବ ଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ, ଉଦ୍ଧାର ଓ ସହାୟତା ପ୍ରଦାନ କରୁଛନ୍ତି।
ବୈଠକରେ ଟ୍ରେନ୍ କିମ୍ବା ରେଳ ଷ୍ଟେସନରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ତୁରନ୍ତ ସୁରକ୍ଷିତ ଆଶ୍ରୟରେ ରଖି ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) କିମ୍ବା କିଶୋର ନ୍ୟାୟ ବୋର୍ଡ (ଜେଜେବି)ଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ସେମାନଙ୍କ ପୁନର୍ବାସ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହାବ୍ୟତୀତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ନିଖୋଜ ଶିଶୁଙ୍କ ମାମଲାକୁ ସମ୍ଭାବ୍ୟ ଅପରାଧ କିମ୍ବା ମାନବ ଚାଲାଣ ସହ ଜଡ଼ିତ ମାମଲା ଭାବେ ବିବେଚନା କରି ଏଫ୍ଆଇଆର୍ ରୁଜୁ କରିବା ଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମାବଳୀର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments
Post a Comment