ଲାଠିକଟାକୁ ସ୍ଥାନାନ୍ତର ହେବ ପାନପୋଷ ଅଗ୍ନିଶମ କେନ୍ଦ୍ର!
୫ ପଞ୍ଚାୟତ ସହ ପାନପୋଷ ଉପଖଣ୍ଡରେ ଜରୁରୀ ସେବା ନେଇ ବଢ଼ିଲା ଚିନ୍ତା
ରାଉରକେଲା,26|7(ଭାଗ୍ୟ ପ୍ରଣେତା): ପାନପୋଷ ଅଗ୍ନିଶମ କେନ୍ଦ୍ରକୁ ଲାଠିକଟାକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲାଠିକଟାରେ ନୂତନ ଅଗ୍ନିଶମ କେନ୍ଦ୍ର ଭବନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ, କେବଳ ସେବା ଆରମ୍ଭ ହେବା ବାକି ରହିଛି। ତେବେ ଏହି ସ୍ଥାନାନ୍ତରକୁ ନେଇ ପାନପୋଷ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
୧୯୮୫ ମସିହାରୁ ଛେଣ୍ଡ କଳିଙ୍ଗ ବିହାର ନିକଟସ୍ଥ ଟିସ୍କୋ କଲୋନୀରେ କାର୍ଯ୍ୟରତ ପାନପୋଷ ଅଗ୍ନିଶମ କେନ୍ଦ୍ର ଦୀର୍ଘଦିନ ଧରି ପାନପୋଷ ଉପଖଣ୍ଡର ଜରୁରୀ ସେବାର ମୁଖ୍ୟ ଭରସା ପାଲଟିଛି। କେନ୍ଦ୍ରରେ ଅଧିକାରୀ, ଫାୟାରମ୍ୟାନ୍, ଚାଳକ ଓ ଆବଶ୍ୟକ ଅଗ୍ନିନିର୍ବାପକ ସରଞ୍ଜାମ ଉପଲବ୍ଧ ରହିଛି।
ବର୍ତ୍ତମାନ ଏହି କେନ୍ଦ୍ରରୁ ଛେଣ୍ଡ କଲୋନୀ, ପାନପୋଷ ବସ୍ତି, ବେଦବ୍ୟାସ, ଆଇଡିସି ସମେତ ଲାଠିକଟା ବ୍ଲକର କଲୁଙ୍ଗା (କ) ଓ (ଖ), ଚିକଟମାଟି, ଲୁଙ୍ଗେଇ ଓ ବଲଣ୍ଡା ପଞ୍ଚାୟତକୁ ତୁରନ୍ତ ଅଗ୍ନିଶମ ଓ ଉଦ୍ଧାର ସେବା ଯୋଗାଯାଉଛି। ଅଗ୍ନିକାଣ୍ଡ ହେଉ କିମ୍ବା ବ୍ରାହ୍ମଣୀ ନଦୀରେ ଉଦ୍ଧାର କାର୍ଯ୍ୟ, ଏହି କେନ୍ଦ୍ରର କର୍ମଚାରୀମାନେ ଅଳ୍ପ ସମୟରେ ଘଟଣାସ୍ଥଳରେ ପହଞ୍ଚିଥାନ୍ତି।
ତେବେ କେନ୍ଦ୍ରଟି ଲାଠିକଟାକୁ ସ୍ଥାନାନ୍ତର ହେଲେ ପାନପୋଷ ଉପଖଣ୍ଡର ଘନବସତି ଅଞ୍ଚଳ ଓ ପାଞ୍ଚଟି ପଞ୍ଚାୟତର ଲୋକେ ଜରୁରୀ ସମୟରେ ଶୀଘ୍ର ସେବା ପାଇବାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପାୱାର ହାଉସ୍ ରୋଡ଼ସ୍ଥିତ ରାଜ୍ୟ ଅଗ୍ନିଶମ କେନ୍ଦ୍ରରୁ ଏହି ଅଞ୍ଚଳଗୁଡ଼ିକରେ ତୁରନ୍ତ ପହଞ୍ଚିବା ସମ୍ଭବ ହେବ ନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମତ।
ଅନ୍ୟପକ୍ଷରେ କଳିଙ୍ଗ ବିହାର ଓ ଛେଣ୍ଡ ଅଞ୍ଚଳରେ ବିଶ୍ୱସ୍ତରୀୟ ବୀରସା ମୁଣ୍ଡା ହକି ଷ୍ଟାଡିୟମ, ଇନ୍ଡୋର ଷ୍ଟାଡିୟମ, ବିପିୟୁଟି, ବିମାନବନ୍ଦର, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ସହ ଜନସଂଖ୍ୟା ମଧ୍ୟ ଦ୍ରୁତ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ପୁରୁଣା କେନ୍ଦ୍ରକୁ ଆଧୁନିକୀକରଣ କରିବା ପରିବର୍ତ୍ତେ ସ୍ଥାନାନ୍ତର କରିବା କେତେଦୂର ଯୁକ୍ତିସଙ୍ଗତ, ସେନେଇ ସହରର ବୁଦ୍ଧିଜୀବୀ ମହଳରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ବାସିନ୍ଦାଙ୍କ ଦାବି, ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପାନପୋଷ ଅଗ୍ନିଶମ କେନ୍ଦ୍ରକୁ ବର୍ତ୍ତମାନ ସ୍ଥାନରେ ସୁଦୃଢ଼ କରାଯାଉ କିମ୍ବା ବିକଳ୍ପ ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ଆପଦକାଳୀନ ସେବାରେ କୌଣସି ବାଧା ସୃଷ୍ଟି ନ ହେଉ।
Comments
Post a Comment