ସାର୍ବଜନିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ନକଲ ରୋକିବାକୁ କେନ୍ଦ୍ରର କଡ଼ା ପଦକ୍ଷେପ
ନୂଆଦିଲ୍ଲୀ, ୨୫|7(ଭାଗ୍ୟ ପ୍ରଣେତା)-: ଦେଶବ୍ୟାପୀ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ସଂଗଠିତ ନକଲ ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଇନକୁ ଅଧିକ କଡ଼ା କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ସଂସଦରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ସଂଶୋଧନ ବିଧେୟକ, ୨୦୨୬ ଆଣିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି। ଏହାର ଉଦ୍ଦେଶ୍ୟ ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା।ପ୍ରସ୍ତାବିତ ସଂଶୋଧନ ଅନୁସାରେ ପ୍ରଶ୍ନପତ୍ର ଲିକ୍, ସଂଗଠିତ ନକଲ, ପରୀକ୍ଷାରେ ଠକେଇ କିମ୍ବା ଏହି ଅପରାଧରେ ସଂପୃକ୍ତ ପରୀକ୍ଷା କେନ୍ଦ୍ର, ସେବା ପ୍ରଦାନକାରୀ ସଂସ୍ଥା ଓ ଅନ୍ୟ ସଂପୃକ୍ତ ପକ୍ଷଙ୍କ ବିରୋଧରେ କଡ଼ା ଦଣ୍ଡାତ୍ମକ ବ୍ୟବସ୍ଥା ରହିବ। ଏଥିସହ ମାମଲାର ଶୀଘ୍ର ତଦନ୍ତ ଓ ବିଚାର ପାଇଁ ବିଶେଷ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ମିଳିପାରିବ। ସମ୍ପ୍ରତି ନିଟ୍ ସମେତ ବିଭିନ୍ନ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଓ ଛାତ୍ର ଆନ୍ଦୋଳନ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମନରେ ପରୀକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ପୁନଃ ସ୍ଥାପନ କରିବା ସହ ମେଧାଭିତ୍ତିକ ମୂଲ୍ୟାଙ୍କନକୁ ସୁରକ୍ଷିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଜଣାପଡ଼ିଛି।
Comments
Post a Comment